1
ଏଥିଉତ୍ତାରେ ପରମେଶ୍ୱର ଯାକୁବଙ୍କୁ କହିଲେ, “ତୁମ୍ଭେ ଉଠି ବେଥେଲ୍କୁ ଯାଇ ସେଠାରେ ବାସ କର; ପୁଣି, ତୁମ୍ଭ ଭ୍ରାତା ଏଷୌ ସମ୍ମୁଖରୁ ପଳାଇବା ସମୟରେ ଯେଉଁ ପରମେଶ୍ୱର ଦର୍ଶନ ଦେଇଥିଲେ, ତାହାଙ୍କ ଉଦ୍ଦେଶ୍ୟରେ ଯଜ୍ଞବେଦି ନିର୍ମାଣ କର।”
2
ତହିଁରେ ଯାକୁବ ଆପଣା ପରିଜନ ଓ ସଙ୍ଗୀ ଲୋକମାନଙ୍କୁ କହିଲେ, “ତୁମ୍ଭମାନଙ୍କ ନିକଟରେ ଯେଉଁ ସବୁ ବିଦେଶୀୟ ଦେବତା ଅଛନ୍ତି, ସେମାନଙ୍କୁ ଦୂର କର, ଆପଣାମାନଙ୍କୁ ଶୁଚି କର, ପୁଣି, ଆପଣାମାନଙ୍କ ବସ୍ତ୍ର ପରିବର୍ତ୍ତନ କର।
3
ପୁଣି, ଆସ, ଆମ୍ଭେମାନେ ଉଠି ବେଥେଲ୍କୁ ଯାଉ; ଯେଉଁ ପରମେଶ୍ୱର ମୋର ଦୁଃଖର ଦିନରେ ମୋ’ ପ୍ରାର୍ଥନାର ଉତ୍ତର ଦେଲେ, ଓ ମୋର ଗମନର ପଥରେ ମୋର ସହାୟ ହୋଇଥିଲେ, ତାହାଙ୍କ ଉଦ୍ଦେଶ୍ୟରେ ମୁଁ ସେହି ସ୍ଥାନରେ ଗୋଟିଏ ଯଜ୍ଞବେଦି ନିର୍ମାଣ କରିବି।”
4
ତହିଁରେ ସେମାନେ ଆପଣାମାନଙ୍କ ନିକଟସ୍ଥ ବିଦେଶୀୟ ଦେବତା ଓ କର୍ଣ୍ଣକୁଣ୍ଡଳ ସକଳ ଘେନି ଯାକୁବଙ୍କୁ ଦେଲେ, ପୁଣି, ସେ ତାହା ସବୁ ନେଇ ଶିଖିମ ନିକଟବର୍ତ୍ତୀ ଅଲୋନ ବୃକ୍ଷମୂଳେ ଲୁଚାଇ ରଖିଲେ।
5
ଏଉତ୍ତାରେ ସେମାନେ ଯାତ୍ରା କଲେ; ସେତେବେଳେ ଚତୁର୍ଦ୍ଦିଗସ୍ଥ ନଗରରେ ପରମେଶ୍ୱରଙ୍କଠାରୁ ଭୟ ଉପସ୍ଥିତ ହେବାରୁ ସେମାନେ ଯାକୁବଙ୍କର ପୁତ୍ରମାନଙ୍କୁ ଗୋଡ଼ାଇଲେ ନାହିଁ।
6
ଏଥିଉତ୍ତାରେ ଯାକୁବ ଓ ତାଙ୍କର ସଙ୍ଗୀସମୂହ କିଣାନ ଦେଶସ୍ଥ ଲୂସ୍ରେ, ଅର୍ଥାତ୍, ବେଥେଲ୍ରେ ଉପସ୍ଥିତ ହେଲେ।
7
ସେଠାରେ ସେ ଏକ ଯଜ୍ଞବେଦି ନିର୍ମାଣ କରି ସେହି ସ୍ଥାନର ନାମ ଏଲ-ବେଥେଲ୍
1
ରଖିଲେ; କାରଣ ଯାକୁବ ଭ୍ରାତୃଭୟରେ ପଳାଇବା ବେଳେ ପରମେଶ୍ୱର ସେହି ସ୍ଥାନରେ ତାଙ୍କୁ ଦର୍ଶନ ଦେଇଥିଲେ।
8
ଆଉ ସେହି ସ୍ଥାନରେ ରିବିକାର ଦବୋରା ନାମ୍ନୀ ଧାତ୍ରୀର ମୃତ୍ୟୁୁ ହୁଅନ୍ତେ, ବେଥେଲ୍ର ଅଧଃସ୍ଥିତ ଅଲୋନ ବୃକ୍ଷମୂଳେ ତାହାର କବର ହେଲା, ପୁଣି, ସେହି ସ୍ଥାନର ନାମ ଅଲୋନ-ବାଖୁତ୍
2
ହେଲା।
9
ଏଥିଉତ୍ତାରେ ଯାକୁବ ପଦ୍ଦନ୍ ଅରାମଠାରୁ ବାହୁଡ଼ି ଆସନ୍ତେ, ପରମେଶ୍ୱର ପୁନର୍ବାର ଦର୍ଶନ ଦେଇ ତାଙ୍କୁ ଆଶୀର୍ବାଦ କଲେ।
10
ପୁଣି, ପରମେଶ୍ୱର ତାଙ୍କୁ କହିଲେ, “ତୁମ୍ଭର ନାମ ଯାକୁବ; ମାତ୍ର ତୁମ୍ଭର ନାମ ଆଉ ଯାକୁବ ହେବ ନାହିଁ, ତୁମ୍ଭର ନାମ ଇସ୍ରାଏଲ ହେବ; ଆଉ ସେ ତାଙ୍କର ନାମ ଇସ୍ରାଏଲ ରଖିଲେ।”
11
ପରମେଶ୍ୱର ତାଙ୍କୁ ଆହୁରି କହିଲେ, “ଆମ୍ଭେ ସର୍ବଶକ୍ତିମାନ ପରମେଶ୍ୱର; ତୁମ୍ଭେ ପ୍ରଜାବନ୍ତ ଓ ବହୁବଂଶ ହୁଅ; ତୁମ୍ଭଠାରୁ ଏକ ଗୋଷ୍ଠୀ, ବରଂ ଗୋଷ୍ଠୀ ସମାଜ ଉତ୍ପନ୍ନ ହେବ, ପୁଣି, ତୁମ୍ଭ କଟିଦେଶରୁ ରାଜାଗଣ ଜାତ ହେବେ।
12
ପୁଣି, ଆମ୍ଭେ ଅବ୍ରହାମ ଓ ଇସ୍ହାକକୁ ଯେଉଁ ଦେଶ ଦାନ କରିଅଛୁ, ସେହି ଦେଶ ତୁମ୍ଭକୁ ଓ ତୁମ୍ଭ ଭବିଷ୍ୟତ ବଂଶକୁ ଦେବା।”
13
ସେହି ସ୍ଥାନରେ ତାଙ୍କ ସହିତ ଏହିପରି କଥାବାର୍ତ୍ତା କରି ପରମେଶ୍ୱର ତାଙ୍କ ନିକଟରୁ ଉର୍ଦ୍ଧ୍ୱଗମନ କଲେ।
14
ତହିଁରେ ଯାକୁବ ସେହି କଥୋପକଥନର ସ୍ଥାନରେ ଏକ ସ୍ତମ୍ଭ, ଅର୍ଥାତ୍, ପ୍ରସ୍ତର ସ୍ତମ୍ଭ ସ୍ଥାପନ କରି ତହିଁ ଉପରେ ପାନୀୟ ନୈବେଦ୍ୟ ଉତ୍ସର୍ଗ କଲେ ଓ ତୈଳ ଢାଳିଲେ।
15
ପୁଣି, ଯାକୁବ ପରମେଶ୍ୱରଙ୍କ ସହିତ କଥୋପକଥନ ସ୍ଥାନର ନାମ ବେଥେଲ୍ ରଖିଲେ।