1
ସଦାପ୍ରଭୁ ପରମେଶ୍ୱରଙ୍କ ନିର୍ମିତ ଭୂଚର ପଶୁମାନଙ୍କ ମଧ୍ୟରେ ସର୍ପ ସର୍ବାପେକ୍ଷା ଖଳ ଥିଲା। ସେ ନାରୀଙ୍କୁ କହିଲା, “ଆଗୋ, ଏ କି ସତ୍ୟ, ଉଦ୍ୟାନର କୌଣସି ବୃକ୍ଷର ଫଳ ଖାଇବାକୁ ପରମେଶ୍ୱର ତୁମ୍ଭମାନଙ୍କୁ ନିଷେଧ କରିଅଛନ୍ତି ?”
2
ନାରୀ ସର୍ପକୁ କହିଲେ, “ଆମ୍ଭେମାନେ ଉଦ୍ୟାନର ସମସ୍ତ ବୃକ୍ଷର ଫଳ ଖାଇପାରୁ;
3
କେବଳ ଉଦ୍ୟାନର ମଧ୍ୟସ୍ଥିତ ବୃକ୍ଷର ଫଳ ବିଷୟରେ ପରମେଶ୍ୱର କହିଅଛନ୍ତି, ତୁମ୍ଭେମାନେ ତାହା ଖାଇବ ନାହିଁ ଓ ଛୁଇଁବ ନାହିଁ, ତାହା କଲେ ମରିବ।”
4
ସର୍ପ ନାରୀଙ୍କୁ କହିଲା, “ତୁମ୍ଭେମାନେ କୌଣସି ରୂପେ ମରିବ ନାହିଁ;
5
ବରଞ୍ଚ ପରମେଶ୍ୱର ଜାଣନ୍ତି, ତୁମ୍ଭେମାନେ ଯେଉଁ ଦିନ ତାହା ଖାଇବ, ସେହି ଦିନ ତୁମ୍ଭମାନଙ୍କ ଚକ୍ଷୁ ପ୍ରସନ୍ନ ହେବ, ତହିଁରେ ତୁମ୍ଭେମାନେ ପରମେଶ୍ୱରଙ୍କ ପରି ଭଲ ଓ ମନ୍ଦର ଜ୍ଞାନ ପାଇବ।”
6
ଏଥିରେ ନାରୀ ସେହି ବୃକ୍ଷକୁ ସୁଖାଦ୍ୟର ଉତ୍ପାଦକ ଓ ନୟନର ଲୋଭଜନକ ଓ ଜ୍ଞାନ ଦେବା ନିମିତ୍ତ ବାଞ୍ଛନୀୟ ଦେଖି ତହିଁରୁ ଫଳ ତୋଳି ଖାଇଲେ, ପୁଣି, ଆପଣା ସଙ୍ଗସ୍ଥ ସ୍ୱାମୀଙ୍କୁ ଦିଅନ୍ତେ, ସେ ମଧ୍ୟ ଖାଇଲେ।
7
ତହିଁରେ ସେମାନଙ୍କ ଚକ୍ଷୁ ପ୍ରସନ୍ନ ହୁଅନ୍ତେ, ସେମାନେ ନିଜ ଉଲଙ୍ଗତାର ବୋଧ ପାଇ ଡିମ୍ବିରି ବୃକ୍ଷର ପତ୍ର ସିଁଇ ଘାଗରା ବନାଇଲେ।
8
ତହୁଁ ଦିନାବସାନ ସମୟରେ ଉଦ୍ୟାନ ମଧ୍ୟରେ ଗମନାଗମନକାରୀ ସଦାପ୍ରଭୁ ପରମେଶ୍ୱରଙ୍କ ରବ ଶୁଣି ଆଦମ ଓ ତାଙ୍କର ଭାର୍ଯ୍ୟା ସଦାପ୍ରଭୁ ପରମେଶ୍ୱରଙ୍କ ଛାମୁରୁ ଉଦ୍ୟାନସ୍ଥ ବୃକ୍ଷଗଣ ମଧ୍ୟରେ ଲୁଚିଲେ।
9
ତହିଁରେ ସଦାପ୍ରଭୁ ପରମେଶ୍ୱର ଆଦମଙ୍କୁ ଡାକି କହିଲେ, “ତୁମ୍ଭେ କେଉଁଠାରେ ?”
10
ସେ ଉତ୍ତର କଲେ, “ମୁଁ ଉଦ୍ୟାନ ମଧ୍ୟରେ ତୁମ୍ଭ ରବ ଶୁଣି ଆପଣା ଉଲଙ୍ଗତା ସକାଶେ ଭୀତ ହୋଇ ଲୁଚିଲି।”
11
ପରମେଶ୍ଵର କହିଲେ, “ତୁମ୍ଭେ ଉଲଙ୍ଗ ଅଛ, ଏହା କିଏ ତୁମ୍ଭକୁ ଜଣାଇଲା ? ଆମ୍ଭେ ଯେଉଁ ବୃକ୍ଷର ଫଳ ଖାଇବାକୁ ନିଷେଧ କରିଥିଲୁ, ତାହା କି ତୁମ୍ଭେ ଖାଇଅଛ ?”
12
ଆଦମ କହିଲେ, “ତୁମ୍ଭେ ଯେଉଁ ସ୍ତ୍ରୀଙ୍କୁ ମୋହର ସଙ୍ଗିନୀ ହେବାକୁ ଦେଇଅଛ, ସେ ମୋତେ ସେହି ବୃକ୍ଷର ଫଳ ଦେଲେ, ତହିଁରେ ମୁଁ ଖାଇଲି।”
13
ସେତେବେଳେ ସଦାପ୍ରଭୁ ପରମେଶ୍ୱର ନାରୀଙ୍କୁ କହିଲେ, “ଏ କି କଲ ?” ନାରୀ କହିଲେ, “ସର୍ପ ମୋତେ ଭୁଲାଇଲା, ତହିଁରେ ମୁଁ ଖାଇଲି।”