1
ଏଥିଉତ୍ତାରେ ଇସ୍ହାକ ବୃଦ୍ଧ ହୁଅନ୍ତେ, ଚକ୍ଷୁ ନିସ୍ତେଜ ହେବାରୁ ଆଉ ଦେଖି ପାରିଲେ ନାହିଁ; ସେତେବେଳେ ସେ ଆପଣା ଜ୍ୟେଷ୍ଠ ପୁତ୍ର ଏଷୌକୁ ଡାକି କହିଲେ, “ପୁଅରେ,” ତହିଁରେ ସେ ଉତ୍ତର କଲା, “ଦେଖନ୍ତୁ, ମୁଁ ଏଠାରେ।”
2
ତହୁଁ ସେ ତାହାଙ୍କୁ କହିଲେ, “ଦେଖ, ମୁଁ ବୃଦ୍ଧ ହୋଇଅଛି, କେଉଁଦିନ ମୋହର ମୃତ୍ୟୁୁ ହେବ, ତାହା ମୁଁ ଜାଣେ ନାହିଁ।”
3
ଏବେ ବିନୟ କରୁଅଛି, “ତୁମ୍ଭେ ଏତେବେଳେ ତୂଣ ଓ ଧନୁକାଦି ଶସ୍ତ୍ର ଘେନି ପ୍ରାନ୍ତରକୁ ଯାଇ ମୋ’ ନିମନ୍ତେ ମୃଗ ଆଣ।
4
ପୁଣି, ମୁଁ ଯେଉଁପରି ଖାଦ୍ୟ ଭଲ ପାଏ, ସେହିପରି ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ କରି ଭୋଜନ ନିମନ୍ତେ ମୋ’ ନିକଟକୁ ଆଣ; ତହିଁରେ ମୋହର ପ୍ରାଣ ମୃତ୍ୟୁୁ ପୂର୍ବରେ ତୁମ୍ଭକୁ ଆଶୀର୍ବାଦ କରିବ।”
5
ଇସ୍ହାକ ଆପଣା ପୁତ୍ର ଏଷୌକୁ ଏହି କଥା କହିବା ସମୟରେ ରିବିକା ଶୁଣିଲା। ଏହେତୁ ଏଷୌ ମୃଗୟା ମାଂସ ଆଣିବା ନିମନ୍ତେ କ୍ଷେତ୍ରକୁ ଗଲା ଉତ୍ତାରେ,
6
ରିବିକା ଆପଣା ପୁତ୍ର ଯାକୁବଙ୍କୁ କହିଲା, “ଦେଖ, ତୁମ୍ଭର ଭ୍ରାତା ଏଷୌ ସହିତ ତୁମ୍ଭ ପିତାଙ୍କର କଥୋପକଥନ ମୁଁ ଶୁଣିଲି,
7
ସେ ତାହାକୁ କହିଲେ, ‘ତୁମ୍ଭେ ମୃଗୟା ମାଂସ ଆଣି ଆମ୍ଭ ନିମନ୍ତେ ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ କର, ତହିଁରେ ଆମ୍ଭେ ଭୋଜନ କରି ମୃତ୍ୟୁୁ ପୂର୍ବରେ ସଦାପ୍ରଭୁଙ୍କ ଛାମୁରେ ତୁମ୍ଭକୁ ଆଶୀର୍ବାଦ କରିବା।’
8
ଏନିମନ୍ତେ, ପୁଅ, ଏବେ ମୁଁ ତୁମ୍ଭକୁ ଯେଉଁ ଆଜ୍ଞା ଦେଉଅଛି, ମୋହର ସେହି କଥା ଶୁଣ।
9
ତୁମ୍ଭେ ଏବେ ଗୋଠକୁ ଯାଇ ସେଠାରୁ ଦୁଇଗୋଟି ଉତ୍ତମ ଛେଳିଛୁଆ ଆଣ; ତହିଁରେ ତୁମ୍ଭର ପିତା ଯେପରି ଭଲ ପା’ନ୍ତି, ସେହିପରି ସୁସ୍ୱାଦୁ ଖାଦ୍ୟ ମୁଁ ରାନ୍ଧିଦେବି।
10
ତୁମ୍ଭେ ତାହା ଘେନି ପିତାଙ୍କ ନିକଟକୁ ଯାଅ; ତହିଁରେ ସେ ତାହା ଭୋଜନ କରି ମୃତ୍ୟୁୁ ପୂର୍ବରୁ ତୁମ୍ଭକୁ ଆଶୀର୍ବାଦ କରିବେ।”
11
ସେତେବେଳେ ଯାକୁବ ଆପଣା ମାତା ରିବିକାକୁ କହିଲା, “ଦେଖ, ମୋହର ଭ୍ରାତା ଏଷୌ ଲୋମଶ, ମାତ୍ର ମୁଁ ନିର୍ଲୋମ।
12
ଏଣୁ ଯଦି ପିତା ମୋତେ ସ୍ପର୍ଶ କରିବେ, ତେବେ ମୁଁ ତାଙ୍କ ଦୃଷ୍ଟିରେ ପ୍ରବଞ୍ଚକ ଦେଖାଯିବି; ତାହାହେଲେ ମୁଁ ଆପଣା ଉପରକୁ ଆଶୀର୍ବାଦ ନ ଆଣି ଅଭିଶାପ ଆଣିବି।”
13
ମାତ୍ର ତାହାର ମାତା କହିଲା, “ପୁଅ, ସେହି ଅଭିଶାପ ମୋତେ ଘଟୁ, କେବଳ ତୁମ୍ଭେ ମୋ’ କଥା ମାନ ଓ ଯାଇ ଛେଳିଛୁଆ ଆଣ।”
14
ତହୁଁ ଯାକୁବ ଯାଇ ତାହା ଘେନି ମାତା ନିକଟକୁ ଆଣନ୍ତେ, ମାତା ତାହାର ପିତାଙ୍କର ରୁଚି ଅନୁସାରେ ସୁସ୍ୱାଦୁ ଖାଦ୍ୟ ରନ୍ଧନ କଲା।
15
ତହିଁରେ ରିବିକା ଘରେ ଆପଣା ନିକଟରେ ଜ୍ୟେଷ୍ଠ ପୁତ୍ର ଏଷୌର ଥିବା ଉତ୍ତମ ବସ୍ତ୍ର ଆଣି କନିଷ୍ଠ ପୁତ୍ର ଯାକୁବକୁ ପିନ୍ଧାଇଲା।
16
ପୁଣି, ଛେଳିଛୁଆର ଛାଲ ଘେନି ତାହା ହସ୍ତରେ ଓ ଗଳଦେଶର ନିର୍ଲୋମ ସ୍ଥାନରେ ଗୁଡ଼ାଇ ଦେଲା।
17
ଆଉ ସେହି ରନ୍ଧା ସୁସ୍ୱାଦୁ ଖାଦ୍ୟ ଓ ରୁଟି ଯାକୁବର ହସ୍ତରେ ଦେଲା।
18
ତହୁଁ ଯାକୁବ ଆପଣା ପିତା ନିକଟକୁ ଯାଇ କହିଲା, “ପିତଃ,” ସେ ଉତ୍ତର କଲେ, “ଦେଖ, ମୁଁ ଏଠାରେ ପୁତ୍ର, ତୁମ୍ଭେ କିଏ ?”
19
ଯାକୁବ ଆପଣା ପିତାଙ୍କୁ କହିଲା, “ମୁଁ ଆପଣଙ୍କ ଜ୍ୟେଷ୍ଠ ପୁତ୍ର ଏଷୌ; ଆପଣ ଯାହା ଆଜ୍ଞା କରିଥିଲେ, ମୁଁ ତାହା କରିଅଛି,” ଏବେ ନିବେଦନ କରୁଅଛି, “ଆପଣ ଉଠନ୍ତୁ, ପୁଣି, ବସି ମୋହର ମୃଗୟା ମାଂସ ଭୋଜନ କରନ୍ତୁ, ତହିଁ ଉତ୍ତାରେ ଆପଣ ମୋତେ ଆଶୀର୍ବାଦ କରନ୍ତୁ।”
20
ତହିଁରେ ଇସ୍ହାକ ଆପଣା ପୁତ୍ରକୁ କହିଲେ, “ପୁତ୍ର, ତୁମ୍ଭେ ଏତେ ଶୀଘ୍ର ତାହା କିପରି ପାଇଲ ?” ସେ କହିଲା, “ଆପଣଙ୍କ ସଦାପ୍ରଭୁ ପରମେଶ୍ୱର ମୋତେ ତାହା ଭେଟାଇ ଦେଲେ।”
21
ଇସ୍ହାକ ଯାକୁବଙ୍କୁ ଆହୁରି କହିଲେ, “ପୁତ୍ର, ମୋ’ ପାଖକୁ ଆସ, ତୁମ୍ଭେ ପ୍ରକୃତରେ ମୋହର ପୁତ୍ର ଏଷୌ କି ନାହିଁ, ତୁମ୍ଭକୁ ସ୍ପର୍ଶ କରି ଜାଣିବି।”
22
ତହୁଁ ଯାକୁବ ଆପଣା ପିତା ଇସ୍ହାକଙ୍କ ନିକଟକୁ ଯା’ନ୍ତେ, ସେ ତାହା ସ୍ପର୍ଶ କରି କହିଲେ, “ଏହି ସ୍ୱର ଯାକୁବର ସ୍ୱର, ମାତ୍ର ଏହି ହସ୍ତ ଏଷୌର ହସ୍ତ ଅଟଇ।”
23
ଏହିରୂପେ ସେ ତାହାକୁ ଚିହ୍ନି ପାରିଲେ ନାହିଁ, ଯେହେତୁ ସେ ଆପଣା ଭ୍ରାତା ଏଷୌର ହସ୍ତ ନ୍ୟାୟ ଆପଣା ହସ୍ତ ଲୋମଯୁକ୍ତ କରିଥିଲା; ଏଣୁ ସେ ତାହାକୁ ଆଶୀର୍ବାଦ କଲେ।
24
ଏଥିଉତ୍ତାରେ ସେ କହିଲେ, “ତୁମ୍ଭେ କି ନିତାନ୍ତ ମୋହର ପୁତ୍ର ଏଷୌ ?” ସେ କହିଲା, “ହଁ, ମୁଁ ସେହି।”
25
ସେତେବେଳେ ଇସ୍ହାକ କହିଲେ, “ତାହା ମୋ’ ପାଖକୁ ଆଣ; ମୁଁ ଆପଣା ପୁତ୍ରର ଆନୀତ ମୃଗୟା ମାଂସ ଭୋଜନ କରିବି, ତହୁଁ ମୁଁ ତୁମ୍ଭକୁ ଆଶୀର୍ବାଦ କରିବ।” ତହିଁରେ ସେ ନିକଟକୁ ଆଣି ଦିଅନ୍ତେ, ଇସ୍ହାକ ତାହା ଭୋଜନ କଲେ; ପୁଣି, ଦ୍ରାକ୍ଷାରସ ଆଣି ଦିଅନ୍ତେ, ତାହା ପାନ କଲେ।
26
ଏଥିଉତ୍ତାରେ ତାହାର ପିତା ଇସ୍ହାକ କହିଲେ, “ପୁତ୍ର, ଏବେ ମୋ’ ନିକଟକୁ ଆସି ମୋତେ ଚୁମ୍ବନ କର।”
27
ସେତେବେଳେ ସେ ନିକଟକୁ ଯାଇ ଚୁମ୍ବନ କରନ୍ତେ, ଇସ୍ହାକ ତାହାର ବସ୍ତ୍ରର ଗନ୍ଧ ପାଇ ତାଙ୍କୁ ଆଶୀର୍ବାଦ କରି କହିଲେ, “ଦେଖ, ସଦାପ୍ରଭୁଙ୍କ ଆଶୀର୍ବାଦପ୍ରାପ୍ତ କ୍ଷେତ୍ରର ସୁଗନ୍ଧି ତୁଲ୍ୟ ମୋ’ ପୁତ୍ରର ସୁଗନ୍ଧି;
28
ପରମେଶ୍ୱର ଆକାଶର କାକରରୁ ଓ ପୃଥିବୀର ଉର୍ବରତାରୁ ଉତ୍ପନ୍ନ (ଫଳ) ଓ ପ୍ରଚୁର ଶସ୍ୟ ଓ ଦ୍ରାକ୍ଷାରସ ତୁମ୍ଭକୁ ଦିଅନ୍ତୁ;
29
ଲୋକସମୂହ ତୁମ୍ଭର ସେବା କରନ୍ତୁ ଓ ନାନା ବଂଶ ତୁମ୍ଭକୁ ପ୍ରଣାମ କରନ୍ତୁ; ତୁମ୍ଭେ ଆପଣା ଜ୍ଞାତିମାନଙ୍କର କର୍ତ୍ତା ହୁଅ, ପୁଣି, ତୁମ୍ଭର ମାତୃପୁତ୍ରମାନେ ତୁମ୍ଭକୁ ପ୍ରଣାମ କରନ୍ତୁ; ଯେ ତୁମ୍ଭକୁ ଅଭିଶାପ ଦିଏ, ସେ ଅଭିଶପ୍ତ ହେଉ, ପୁଣି, ଯେ ତୁମ୍ଭକୁ ଆଶୀର୍ବାଦ କରେ, ସେ ଆଶୀର୍ବାଦ ପ୍ରାପ୍ତ ହେଉ।”