1
ଏଥିରେ ଯୋଷେଫ ଆପଣା ନିକଟରେ ଠିଆ ହୋଇଥିବା ଲୋକମାନଙ୍କ ସାକ୍ଷାତରେ ଆପଣାକୁ ସମ୍ଭାଳି ନ ପାରି ଉଚ୍ଚୈଃସ୍ୱରରେ କହିଲେ, “ଆମ୍ଭ ସମ୍ମୁଖରୁ ସବୁ ଲୋକଙ୍କୁ ବାହାର କର।” ତହୁଁ କେହି ତାଙ୍କ ନିକଟରେ ନ ରହନ୍ତେ, ଯୋଷେଫ ଭାଇମାନଙ୍କ ସାକ୍ଷାତରେ ଆପଣାର ପରିଚୟ ଦେବାକୁ ଲାଗିଲେ।
2
ସେ ଉଚ୍ଚୈଃସ୍ୱରରେ ଏପରି ରୋଦନ କଲେ ଯେ, ମିସ୍ରୀୟମାନେ ଓ ଫାରୋଙ୍କ ଗୃହସ୍ଥିତ ଲୋକମାନେ ତାହା ଶୁଣି ପାରିଲେ।
3
ଯୋଷେଫ ଆପଣା ଭାଇମାନଙ୍କୁ କହିଲେ, “ମୁଁ ଯୋଷେଫ; ମୋ’ ପିତା କି ଆଜି ପର୍ଯ୍ୟନ୍ତ ବଞ୍ଚିଅଛନ୍ତି ?” ଏଥିରେ ତାଙ୍କର ଭାଇମାନେ ତାଙ୍କ ସାକ୍ଷାତରେ ଭୟଭୀତ ହେବାରୁ କିଛି ଉତ୍ତର ଦେଇ ପାରିଲେ ନାହିଁ।
4
ଏଥିଉତ୍ତାରେ ଯୋଷେଫ ଆପଣା ଭାଇମାନଙ୍କୁ କହିଲେ, “ବିନୟ କରୁଅଛି, ମୋ’ ପାଖକୁ ଆସ,” ତହିଁରେ ସେମାନେ ପାଖକୁ ଯାଆନ୍ତେ, ସେ କହିଲେ, “ମୁଁ ତୁମ୍ଭମାନଙ୍କର ଭାଇ ଯୋଷେଫ, ଯାହାକୁ ତୁମ୍ଭେମାନେ ମିସରଗାମୀ ଲୋକମାନଙ୍କୁ ବିକ୍ରୟ କରିଥିଲ।
5
ମାତ୍ର, ତୁମ୍ଭେମାନେ ମୋତେ ଏଠାକୁ ଆସିବା ପାଇଁ ବିକ୍ରୟ କଲ ବୋଲି ଏବେ ଦୁଃଖିତ ଓ ଆପଣା ଆପଣା ପ୍ରତି ବିରକ୍ତ ହୁଅ ନାହିଁ; କାରଣ ପରମେଶ୍ୱର ପ୍ରାଣ ବଞ୍ଚାଇବା ନିମନ୍ତେ ତୁମ୍ଭମାନଙ୍କ ଆଗେ ମୋତେ ପଠାଇଲେ।
6
ଦେଖ, କେବଳ ଦୁଇ ବର୍ଷ ହେଲା ଦେଶରେ ଦୁର୍ଭିକ୍ଷ ହୋଇଅଛି; ଆହୁରି ପାଞ୍ଚ ବର୍ଷ ବାକି ଅଛି, ତହିଁ ମଧ୍ୟରେ ଚାଷ କି ଶସ୍ୟର ଚ୍ଛେଦନ ହେବ ନାହିଁ।
7
ଏଥିପାଇଁ ପରମେଶ୍ୱର ପୃଥିବୀରେ ତୁମ୍ଭମାନଙ୍କୁ ଅବଶିଷ୍ଟାଂଶ ରୂପେ ରକ୍ଷା କରିବାକୁ ଓ ମହା ଉଦ୍ଧାର ଉପଲକ୍ଷ୍ୟରେ ତୁମ୍ଭମାନଙ୍କୁ ପ୍ରାଣରେ ବଞ୍ଚାଇବାକୁ ତୁମ୍ଭମାନଙ୍କ ଆଗେ ମୋତେ ପଠାଇ ଅଛନ୍ତି।
8
ଏନିମନ୍ତେ ତୁମ୍ଭେମାନେ ଯେ ମୋତେ ଏ ସ୍ଥାନକୁ ପଠାଇ ଅଛ, ତାହା ନୁହେଁ, ପରମେଶ୍ୱର ପଠାଇ ଅଛନ୍ତି; ପୁଣି, ସେ ମୋତେ ଫାରୋଙ୍କର ପିତା ଓ ତାଙ୍କ ଗୃହର ପ୍ରଭୁ ଓ ସମସ୍ତ ମିସର ଦେଶର କର୍ତ୍ତା କରିଅଛନ୍ତି।
9
ଏଣୁ ତୁମ୍ଭେମାନେ ଶୀଘ୍ର ମୋ’ ପିତାଙ୍କ ନିକଟକୁ ଯାଇ ତାଙ୍କୁ କୁହ, ତୁମ୍ଭର ପୁତ୍ର ଯୋଷେଫ ଏହିପରି କହିଅଛି, ପରମେଶ୍ୱର ମୋତେ ସମସ୍ତ ମିସର ଦେଶର ବିଶିଷ୍ଟ ବ୍ୟକ୍ତି କରିଅଛନ୍ତି; ତୁମ୍ଭେ ମୋ’ ନିକଟକୁ ଆସ, ବିଳମ୍ବ କର ନାହିଁ।
10
ତୁମ୍ଭେ ପୁତ୍ର, ପୌତ୍ର ଓ ଗୋମେଷାଦି ସର୍ବସ୍ୱ ସହିତ ଗୋଶନ ପ୍ରଦେଶରେ ବାସ କରି ମୋହର ନିକଟବର୍ତ୍ତୀ ହେବ।
11
ସେହି ସ୍ଥାନରେ, ମୁଁ ତୁମ୍ଭଙ୍କୁ ପ୍ରତିପାଳନ କରିବି; କାରଣ ଆଉ ପାଞ୍ଚ ବର୍ଷ ଦୁର୍ଭିକ୍ଷ ରହିବ; ନୋହିଲେ ତୁମ୍ଭର ଓ ତୁମ୍ଭ ପରିବାରାଦି ସମସ୍ତଙ୍କର ଦରିଦ୍ର ଦଶା ଘଟିବ।
12
ଦେଖ, ମୋହର ମୁଖ ତୁମ୍ଭମାନଙ୍କୁ ଏ କଥା କହୁଅଛି, ଏହା ତୁମ୍ଭମାନଙ୍କ ଚକ୍ଷୁ ଓ ମୋ’ ସହୋଦର ବିନ୍ୟାମୀନ୍ର ଚକ୍ଷୁ ଦେଖୁଅଛି।
13
ଏଣୁ ତୁମ୍ଭେମାନେ ଏହି ମିସର ଦେଶରେ ମୋହର ଐଶ୍ୱର୍ଯ୍ୟାଦି ଯାହା ଯାହା ଦେଖୁଅଛ, ସେ ସମସ୍ତ ମୋ’ ପିତାଙ୍କୁ ଜଣାଇ ତାଙ୍କୁ ଶୀଘ୍ର ଏଠାକୁ ଆଣିବ।”
14
ଏଥିଉତ୍ତାରେ ସେ ଆପଣା ସହୋଦର ବିନ୍ୟାମୀନ୍ର ଗଳା ଧରି ରୋଦନ କଲେ, ପୁଣି, ବିନ୍ୟାମୀନ୍ ତାଙ୍କର ଗଳା ଧରି ରୋଦନ କଲା।
15
ପୁଣି, ଯୋଷେଫ ଅନ୍ୟ ଭାଇମାନଙ୍କୁ ଚୁମ୍ବନ କଲେ ଓ ସେମାନଙ୍କୁ ଧରି ରୋଦନ କଲେ। ଏଥିଉତ୍ତାରେ ତାଙ୍କର ଭାଇମାନେ ତାଙ୍କ ସଙ୍ଗରେ ଆଳାପ କରିବାକୁ ଲାଗିଲେ।